ଭୁବନେଶ୍ୱର: ଦ୍ବିତୀୟ ଥର ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନାୟବ ସିଂ ସୈନୀ । ହରିୟାଣା ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ପାୱାର ସୋ କରିଛି ଭାରତୀୟ ଜନତା ପାର୍ଟି । ପଞ୍ଚକୁଲା ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନ୍ୟ କେନ୍ଦ୍ର ମନ୍ତ୍ରୀ ଉପସ୍ଥିତ ଥିଲେ । ଏହାସହ ବିଜେପି ଶାସିତ ଓ NDA ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ । ଆଜି ଶପଥ ଗ୍ରହଣ ଠାରୁ ହରିୟାଣାରେ ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଇନିଂସ ଆରମ୍ଭ କରିଛନ୍ତି ସୈନୀ । ପଞ୍ଚକୁଲା ସ୍ଥିତ ସେକ୍ଟର ୫ ପରେଡ୍ ଗ୍ରାଉଣ୍ଡରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ସୈନୀଙ୍କ ନେତୃତ୍ବରେ ଏଥର ହରିୟାଣା ନିର୍ବାଚନ ଲଢିଥିଲା ଭାରତୀୟ ଜନତା ପାର୍ଟି ।
୧୯୭୦ ଜାନୁୟାରୀ ୨୫ରେ ଜନ୍ମଗ୍ରହଣ କରିଥିବା ସୈନୀ ଏବେ ହରିୟାଣାର ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୨୦୨୩ରେ ସେ ହରିୟାଣା ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ବ ତୁଲାଇଥିଲେ । ସୈନୀ ହରିୟାଣାର ଜଣେ ଟାଣୁଆ ଓବିସି ନେତା ଭାବେ ପରିଚିତ । ଚଳିତ ବିଧାନସଭା ନିର୍ବାଚନରେ ସେ କୁରୁକ୍ଷେତ୍ର ଜିଲ୍ଲାର ଲଡୱା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଛନ୍ତି । ସେ ଏହି ନିର୍ବାଚନରେ ବିଜେପିର ନେତୃତ୍ବ ନେଇ ହରିୟାଣାରେ ତୃତୀୟ ଥର ପାଇଁ ଦଳକୁ କ୍ଷମତାକୁ ଆଣିବାରେ ସଫଳ ହୋଇଛନ୍ତି । ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ସେ କୁରୁକ୍ଷେତ୍ର ନିର୍ବାଚନ ମଣ୍ଡଳୀରୁ ସାଂସଦ ଥିଲେ । ଏହା ପୂର୍ବରୁ ୨୦୧୪ରୁ ୧୯ ଯାଏଁ ସେ ଅମ୍ବାଲା ଜିଲ୍ଲା ନାରାଇନଗଡ଼ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଥିଲେ । ଏହି ସମୟରେ ସେ ହରିୟାଣା ସରକାରରେ ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ମନୋହର ଲାଲ ଖଟ୍ଟରଙ୍କ ପରେ ସେ ହରିୟାଣାର ମୁଖ୍ୟମନ୍ତ୍ରୀ ହୋଇଥିଲେ ।