75

ଜିଲ୍ଲାପାଳମାନେ ହେଉଛନ୍ତି ସରକାରଙ୍କ ପାଇଁ ତୃଣମୂଳ ସ୍ତରର ସେତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନ କନ୍‌ଭେନ୍‌ସନ୍ ସେଣ୍ଟରଠାରେ ଆୟୋଜିତ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀରେ ଅଧ୍ୟକ୍ଷତା କରି ସମସ୍ତଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ନିଜ ଅନୁଭୁତି ଓ ଅଭିଜ୍ଞତାରୁ ପ୍ରଶାସନିକସ୍ତରରେ ପୂର୍ବରୁ ହେଉଥିବା ଅନେକ ତ୍ରୁଟି ବିଚ୍ୟୁତି ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ସଚେତନ କରିଛନ୍ତି । ଏଥ୍‌ ସହ ବୁକ୍ ସର୍କୁଲାର ୪୭ ଅନୁଯାୟୀ ସରକାରୀ ଅଧିକାରୀମାନେ ନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ଯଥୋଚିତ ସମ୍ମାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସରକାରଙ୍କ ସବୁ ଯୋଜନା ଠିକ୍ ସମୟରେ ଆରମ୍ଭ ହେବା ଓ ଠିକ୍ ସମୟରେ ଶେଷ ହେବା ହେଉଛି ଖୁବ୍ ଗୁରୁତ୍ବପୂର୍ଣ୍ଣ । ସବୁ ଯୋଜନା ଯେପରି ଠିକ୍ ସମୟରେ କାର୍ଯ୍ୟକାରୀ ହେବ, ଏଥ୍‌ପାଇଁ ଜିଲ୍ଲାପାଳମାନେ ନିତି ଦିନିଆ ଭାବେ ନିଜ ନିଜ ଜିଲ୍ଲାରେ ଆର୍ଥିକ ତଥା ଫିଜିକାଲ ପ୍ରୋଗ୍ରେସ୍ ଉପରେ ଦୃଷ୍ଟି ରଖିବା ଆବଶ୍ୟକ। ଏହା ସହିତ ପ୍ରତ୍ୟେକ ଯୋଜନାର ବ୍ଲକୱାରୀ ତ୍ରୈମାସିକ ସମୀକ୍ଷା କରିବା ମଧ୍ୟ ଆବଶ୍ୟକ । ଏହି ତ୍ରୈମାସିକ ସମୀକ୍ଷାରୁ ଜିଲ୍ଲାପାଳ ସବୁ ସମସ୍ୟା ଜାଣିପାରିବେ ଏବଂ ସଠିକ୍ ପଦକ୍ଷେପ ନେଇ ଯୋଜନାକୁ ଠିକ୍ ବାଟରେ ଆଗେଇ ନେଇପାରିବେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ସରକାର ଯଦି ଟଙ୍କାଟିଏ ଲୋକଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି, ତାହା ସେମାନଙ୍କ ପାଇଁ ଟଙ୍କାଟିଏ ଆୟ’

ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅନିୟମିତତା ସମ୍ପର୍କରେ ସେ ସବୁକୁ ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ । ଜିଲ୍ଲାପାଳମାନଙ୍କ ପାଖରେ ଅଧିକାର ଅଛି, ତାକୁ ବ୍ୟବହାର କରି ଜିଲ୍ଲାପାଳମାନେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମୁଖ୍ୟମନ୍ତ୍ରୀ ବିଶ୍ବାସ ରଖିଛନ୍ତି । କୌଣସିସ୍ତରରେ ଦୁର୍ନୀତିକୁ ସରକାର ସହିବେ ନାହିଁ। ଦୁର୍ନୀତିକୁ ନେଇ କୌଣସି ପ୍ରକାର ସାଲିସ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଜିଲ୍ଲାପାଳମାନେ ହେଉଛନ୍ତି ସରକାରଙ୍କ ପାଇଁ ତୃଣମୂଳ ସ୍ତରର ସେତୁ (last mile connectivity)। ଲୋକକଲ୍ୟାଣ ପାଇଁ ସରକାର ଉତ୍ତମ ରୁ ଉତ୍ତମ ଯୋଜନା ଓ ନୀତି ନିର୍ଦ୍ଧାରଣ କରି ପାରିବେ। କିନ୍ତୁ ଏହି ସବୁ ଯୋଜନାକୁ ଅନ୍ତିମ ହିତାଧିକାରୀ ପର୍ଯ୍ୟନ୍ତ ପହଞ୍ଚାଇବାରେ ଜିଲ୍ଲାପାଳ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଆପଣ ଯଦି ରାଜଧାନୀ କିମ୍ବା କିଛି ସହରାଞ୍ଚଳକୁ ଛାଡି ଦେବେ ବାକି ସବୁ ଠାରେ ସରକାର କହିଲେ ଲୋକେ ଜିଲ୍ଲାପାଳଙ୍କୁ ବୁଝନ୍ତି, କାରଣ ଦୈନନ୍ଦିନ ଜୀବନରେ ବିଭିନ୍ନ ସମସ୍ୟାର ସମାଧାନ ଜିଲ୍ଲାସ୍ତରରେ ହୋଇଥାଏ । ତେଣୁ ସେମାନଙ୍କ ଆଶା ଆକାଂକ୍ଷା ପୂରଣ କରିବାର ଗୁରୁ ଦାୟିତ୍ଵ ହେଉଛି ଆପଣମାନଙ୍କ କାନ୍ଧରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବର୍ତ୍ତମାନର ସରକାର ଲୋକଙ୍କ ସରକାର । ଲୋକମାନଙ୍କ ସୁଖଦୁଃଖରେ ଆମେ ଭାଗୀଦାର, ରାଜ୍ୟର ବିକାଶ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ଭିତ୍ତିଭୂମି ବିକାଶ ଏବଂ ମହିଳାମାନଙ୍କର ଉନ୍ନତି ଭଳି କ୍ଷେତ୍ରକୁ ପ୍ରାଧାନ୍ୟ ଦେବା ଓ ରାଜ୍ୟର ଆର୍ଥିକ ବିକାଶର ଗତିକୁ ତ୍ବରାନିତ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ଆପଣମାନଙ୍କ କଠିନ ପରିଶ୍ରମ ଓ ନିଷ୍ଠା ଦ୍ଵାରା ହିଁ ସବୁ ପଦକ୍ଷେପର ସୁଫଳ ଲୋକଙ୍କ ପାଖରେ ପହଞ୍ଚିବ ଏବଂ ଆମ ରାଜ୍ୟ ଏକ ନମ୍ବର ରାଜ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି ।

Spread the love