92

ଅଶାନ୍ତ ଭଦ୍ରକ ! ଲାଗିଲା ଧାରା ୧୬୩

ଭଦ୍ରକ: ଭଦ୍ରକ ସହରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲାଗିଲା ଧାରା ୧୬୩ | ସୋସିଆଲ୍ ମିଡିଆ ପୋଷ୍ଟକୁ କେନ୍ଦ୍ର କରି ଭଦ୍ରକରେ ତୁମୁଳକାଣ୍ଡ ପରେ ପ୍ରଶାସନ ନେଇଛି ବଡ ପଦକ୍ଷେପ । ସହରରେ କିଭଳି ଶାନ୍ତି ଫେରିବ ସେନେଇ ଉଦ୍ୟମ ଜାରି ରଖିଛନ୍ତି ପୋଲିସ ଏବଂ ପ୍ରଶାସନ । ସହରରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ ଅନେକ ଅଫିସର ନିୟୋଜିତ ହୋଇଛନ୍ତି । ପୋଲିସ୍ ଫ୍ଲାଗମାର୍ଚ୍ଚ ସହ ଭେଇକିଲ ପେଟ୍ରୋଲିଂ ମାର୍ଚ୍ଚ କରିଛି । ଗାଡ଼ି ଗୁଡ଼ିକୁ ଯାଞ୍ଚ ସହ ନାକାବନ୍ଦି କରାଯାଉଛି । ଲୋକଙ୍କୁ ଏକାଠି ହେବା ଉପରେ ରହିଛି କଟକଣା । ସେହିଭଳି ଧାମନଗରରେ ମଧ୍ୟ ଉତ୍ତେଜନାମୂଳକ ସ୍ଥିତି ଥିବାରୁ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ, ଦୋବଲ ଓ ଏହାର ଆଖପାଖ ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୬୩ ଧାରା ଜାରି ହୋଇଥିବା ବେଳେ ୪ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ପୁରୁଣା ବଜାର ଥାନାରେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ସହ ପୋଲିସ ଡିଆଇଜି, ଭଦ୍ରକ ଏସପି, ଭଦ୍ରକ ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀ ଅଞ୍ଚଳ ବୁଲି ଦେଖିବା ସହ ନିଜେ ଫ୍ଲାଗମାର୍ଚ୍ଚ କରିଛନ୍ତି । ଶାନ୍ତି କମିଟି ସହ ଆଲୋଚନା ମଧ୍ୟ କରାଯାଇଛି ।

ବିବାଦୀୟ ପୋଷ୍ଟକୁ ନେଇ ସାଇବର ସେଲ ତଦନ୍ତ କରୁଛି । ପୋଷ୍ଟରେ ସତ୍ୟତା ଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । କିନ୍ତୁ ସର୍ବସାଧାରଣ ସ୍ଥାନରେ ପୋଲିସକୁ ଆକ୍ରମଣ ଓ ସରକାରୀ ସମ୍ପତ୍ତି ନଷ୍ଟ କରିବା ସହ ଅଶାନ୍ତି ସୃଷ୍ଟି କରିବା ସହ ଉପଦ୍ରବ କରିଥିବା ଓ ଢେଲା ମାଡ଼ କରିଥିବା କୌଣସି ବ୍ୟକ୍ତିକୁ ଛଡାଯିବ ନାହିଁ ବୋଲି ସୂଚନା ଦେଇଛନ୍ତି ଡ଼ିଆଇଜି |

ଦୋକାନ ବଜାର ଖୋଲିବା ଉପରେ ନିର୍ଦ୍ଧିଷ୍ଟ ସମୟ ଦିଆଯିବ ବୋଲି ଡିଆଇଜି କହିଛନ୍ତି । ସୋସିଆଲ୍ ମିଡିଆରେ ଏକ ବିବାଦୀୟ ଫଟୋ ପୋଷ୍ଟ କରିଥିବା ଜଣେ ଅଭିଯୁକ୍ତଙ୍କ ଗିରଫ ଦାବି କରି ରାଲି ଚାଲିଥିବା ବେଳେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ଏଥିରେ ୩ ପୋଲିସ ଅଧିକାରୀ ଆହତ ହୋଇଥିଲେ । ତା’ସହ ଘଟଣାସ୍ଥଳକୁ ଯାଇଥିବା ତହସିଲଦାରଙ୍କ ଗାଡ଼ି ବି ଭଙ୍ଗାରୁଜା ହୋଇଥିଲା ।  ଏହି ଘଟଣାରେ ୯ଜଣଙ୍କୁ ଅଟକ ରଖିଛି ପୋଲିସ ।

 

Spread the love