ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖେରଙ୍ଗ ପଞ୍ଚାୟତରେ ଭଦ୍ରକ ଓ ବାଲେଶ୍ୱର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ମିଳିତ ଚଢ଼ାଉ କରାଯାଇଛି। ଦୁର୍ନୀତି ନିବାରଣ ବିଭାଗର ଏକ ୫ ଜଣିଆ ଟିମ ପଞ୍ଚାୟତରେ ପହଞ୍ଚି ପୂର୍ବରୁ ଦୁର୍ନୀତି ଅଭିଯୋଗ ହୋଇଥିବା ବିଭିନ୍ନ ପ୍ରକଳ୍ପ ସ୍ଥଳ ଗୁଡ଼ିକର କ୍ଷତ୍ରିୟ ତଦନ୍ତ କରିଛନ୍ତି। ପ୍ରଥମେ ପଂଚାୟତ କାର୍ଯ୍ୟାଳୟରେ କାଗଜପତ୍ର ତନଖି କରିବା ପରେ ପ୍ରତି ଗ୍ରାମରେ ହୋଇଥିବା କାର୍ଯ୍ୟଦେଶ ଉପରେ ତଦନ୍ତ କରିଥିଲେ। ଅଭିଯୋଗ କ୍ରମେ ଖେରଙ୍ଗ ପରମହଂସ କମ୍ୟୁନିଟି ସେଣ୍ଟର୍ ଉନ୍ନତିକରଣ ପାଇଁ ୪ ଲକ୍ଷ, ଖେରଙ୍ଗ ବଜାର ବସ୍ ଷ୍ଟାଣ୍ଡ ନିର୍ମାଣ ପାଇଁ ୨ ଲକ୍ଷ, ଯୋଗିପୋଖରି ପଳାଶପୁର ଠାରେ ଅମୃତ ସରବୋର ପାଇଁ ୯ ଲକ୍ଷ ଟଙ୍କା, ଖେରଙ୍ଗ ପ୍ରାଥମିକ ବିଦ୍ୟାଳୟ ମରାମତି ପାଇଁ ୨ ଲକ୍ଷ, ନୋଡାଲ ସ୍କୁଲ୍ ପାଇଁ ୧ ଲକ୍ଷ ଓ ଅନ୍ୟାନ୍ୟ ପ୍ରକଳ୍ପ ଗୁଡିକରେ କାର୍ଯ୍ୟ ନହୋଇ ମିଥ୍ୟା ବିଲ୍ ହୋଇଥିବା ଦୁର୍ନୀତି ନିବାରଣ ବିଭାଗରେ ପଂଚାୟତ ବିଜେପି ସଭାପତି ପ୍ରଶାନ୍ତ ମାଝି ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗକୁ ଭିତ୍ତି କରି ବିଭାଗୀୟ ତଦନ୍ତ ଅଧିକାରୀ ପ୍ରକଳ୍ପ ସ୍ଥଳକୁ ଯାଇ ଦୁର୍ନୀତି ହୋଇଥିବା ହୃଦୟଙ୍ଗମ କରିଥିଲେ। ତଦନ୍ତ ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କୁ ପ୍ରେରଣ କରିବା ସହିତ ଦୃଢ଼ କାର୍ଯ୍ୟନୁଷ୍ଠାନ ହେବ ବୋଲି ତଦନ୍ତ ଅଧିକାରୀ ପ୍ରକାଶ କରିଥିଲେ।
106