139

ଲିଜେଣ୍ଡସ ଲିଗ୍‌ କ୍ରିକେଟ୍‌ ୨୦୨୪: ଧାୱନଙ୍କୁ ହରାଇଲେ କାର୍ତ୍ତିକ

ଭୁବନେଶ୍ବର: ସଦର୍ଣ୍ଣ ସୁପରଷ୍ଟାର ଲିଜେଣ୍ଡସ ଲିଗ୍‌ କ୍ରିକେଟ୍‌ରେ ୨୬ ରନ୍‌ରେ ବିଜୟୀ  ହୋଇଛି । ଦୁଇ ଭେଟେରାନ ଦିନେଶ କାର୍ତ୍ତିକ ଓ ଶିଖର ଧାୱନଙ୍କ ମଧ୍ୟରେ  ଲଢ଼େଇ ହୋଇଥିଲା । ଶେଷରେ ବିଜୟୀ ହୋଇଥିଲେ କାର୍ତ୍ତିକ । ଚତୁରଙ୍ଗ ଡି  ସିଲଭାଙ୍କ (୫୩) ଦ୍ରୁତ ଅର୍ଦ୍ଧଶତକ  ସହାୟତାରେ ସଦର୍ଣ୍ଣ ସୁପରଷ୍ଟାର ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍‌ ହରାଇ ୧୪୪ ରନ୍‌ କରିଥିଲା । ଜବାବରେ ଗୁଜରାଟ ଜାଏଣ୍ଟସ ନିର୍ଦ୍ଧାରିତ ଓଭରରେ ୯ ୱିକେଟ୍‌ ହରାଇ କରିଥିଲା ୧୧୮ ରନ୍‌ । ଡି ସିଲଭା ଲିଜେଣ୍ଡ ଅଫ୍‌ ଦ ମ୍ୟାଚ  ବିବେଚିତ ହୋଇଥିଲେ । ଗୁଜରାଟ ଜାଏଣ୍ଟସ ଅଧିନାୟକ  ଧାୱନ ଟସ୍‌ ଜିତିବା ପରେ ପ୍ରଥମେ ଫିଲ୍ଡିଂ  ନିଷ୍ପତ୍ତି ନେଇଥିଲେ । ପାର୍ଥିବ ପଟେଲ  ଓ ମାର୍ଟିନ ଗୁପତିଲ ସଦର୍ଣ୍ଣ ସୁପରଷ୍ଟାର  ପକ୍ଷରୁ ଇନିଂସ ଓପନ କରି ଦଳୀୟ  ସ୍କୋରକୁ ୨୯ ରନ୍‌ରେ ପହଞ୍ଚାଇଥିଲେ । ଏହାପରେ ପାର୍ଥିବ (୪) ପାଭିଲିୟନ  ଫେରିଥିଲେ । ଗୁପତିଲ (୨୨) ଓ  ହାମିଲଟନ ମାସାକାଡଜା (୨୦) ଦଳୀୟ ସ୍କୋରକୁ ଆଗେଇ ନେବାର ପ୍ରୟାସ କରିଥିଲେ । ମଧ୍ୟଭାଗରେ କେଦାର  ଯାଦବ (୧) ଓ ପୱନ ନେଗି (୨)  ଦଳକୁ ନିରାଶ କରିଥିଲେ । ଅଧିନାୟକ  କାର୍ତ୍ତିକ (୧୮) ବେଶି ସମୟ ତିଷ୍ଠି ପାରି  ନଥିଲେ । ଚତୁରଙ୍ଗ ଡି ସିଲଭାଙ୍କ ଦ୍ରୁତ  ଅର୍ଦ୍ଧଶତକ ବଳରେ ଦଳ ୧୪୪ ରନ୍‌  କରିବାରେ ସଫଳ ହୋଇଥିଲା । ସେ ୨୮ଟି ବଲ ଖେଳି ୬ଟି ଚୌକା ଓ ୨ଟି  ଛକା ମାରିଥିଲେ । ମନନ ଶର୍ମା ଘାତକ  ବୋଲିଂ କରି ୧୭ ରନ୍‌ ଦେଇ ୬ ୱିକେଟ୍‌  ହାସଲ କରିଥିଲେ ।

ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ  ଓପନର ଅଧିନାୟକ ଶିଖର ଧାୱନ ଓ  ମର୍ନେ ଭନ ପ୍ରଥମ ୱିକେଟ୍‌ରେ ଦଳୀୟ  ସ୍କୋରକୁ ୬୩ ରନ୍‌ରେ ପହଞ୍ଚାଇଥିଲେ ।  ଭନ ୧୫ ରନ୍‌ କରି ଆଉଟ୍‌ ହେବା  ପରେ ଧାୱନ ଚମତ୍କାର ବ୍ୟାଟିଂ କରି  ଅର୍ଦ୍ଧଶତକ ହାସଲ କରିଥିଲେ । ଲେଣ୍ଡ  ସିମୋନ୍ସ (୭), ମହମ୍ମଦ କୈଫ (୫)  ଓ ଅସଘର ଆଫଗାନ (୩) ପଛକୁ ପଛ  ପାଭିଲିୟନ ଫେରିଥିଲେ । ୪୮ ବଲରୁ  ୩ ଚୌକା ଓ ୩ ଛକା ମାରି ଧାୱନ  ୫୨ ରନ୍‌ କରି ଫେରିଥିଲେ । ପରେ  ଦଳ ନିୟମିତ ବ୍ୟବଧାନରେ ୱିକେଟ୍‌  ହରାଇ ୯ ୱିକେଟ୍‌ରେ ୧୧୮ ରନ୍‌ରେ  ସୀମିତ ରହିଥିଲା । ପୱନ ନେଗି ୩ଟି ଓ  ଅବଦୁର ରଜାକ ୨ ୱିକେଟ୍‌ ପାଇଥିଲେ । ଲିଗର ପ୍ରଥମ ରାଉଣ୍ଡ ଶେଷ  ହୋଇ ଦ୍ୱିତୀୟ ରାଉଣ୍ଡ ଆରମ୍ଭ ହୋଇଛି ।  ସଦର୍ଣ୍ଣ ସୁପରଷ୍ଟାର ୨ ପଏଣ୍ଟ ସହ  ପ୍ରଥମ, କୋଣାର୍କ ସୂର୍ଯ୍ୟସ ଓଡ଼ିଶା (୨)  ଦ୍ୱିତୀୟ ଏବଂ ଇଣ୍ଡିଆ କ୍ୟାପିଟାଲ୍ସ (୨)  ତୃତୀୟ ସ୍ଥାନରେ ରହିଛି ।

 

Spread the love