88

ସୁଭଦ୍ରା ଯୋଜନା : ୨ ହଜାର ଆବେଦନ ଖାରଜ

ଭୁବନେଶ୍ୱର: ସୁଭଦ୍ରା ଯୋଜନା ହିତାଧୀକାରୀଙ୍କ ୨ ହଜାର ଆବେଦନ ଖାରଜ। ଏନେଇ ବଡ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । କାଲି ରାତି ସୁଦ୍ଧା ୯୭ ହଜାର ହିତାଧିକାରୀଙ୍କ ଆବେଦନ ପେଣ୍ଡିଙ୍ଗ ଥିଲା । ଆଜିର ରିପୋର୍ଟ ଅନୁସାରେ ଶତପ୍ରତିଶତ ଆବେଦନ କ୍ଲିୟର ହୋଇଛି । କେବଳ ଆକାଉଣ୍ଟ ଭୁଲ୍ ଭଟକା ଯୋଗୁଁ ୨ ହଜାର ଆବେଦନ ଖାରଜ ହୋଇଥାଇପାରେ ବୋଲି ସେ କହିଛନ୍ତି । ତେବେ ଯେଉଁ ଯୋଗ୍ୟ ହିତାଧିକାରୀ ଆବେଦନ କରିବେ, ସମସ୍ତେ ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ସୁଭଦ୍ରା ଟଙ୍କା ମିଳିବ ମିଳିବ ବୋଲି ଶୁଣୁଥିଲେ । ଟଙ୍କା କେବେ ଆସିବ, ଚାତକ ଭଳି ଚାହିଁଥିଲେ । ସେ ପ୍ରତୀକ୍ଷାର ଗତକାଲି ଅବସାନ ଘଟିଲା । ଗୋଟିଏ ପଟେ ମୋଦି ସ୍ୱିଚ୍ ଟିପି ସୁଭଦ୍ରା କିସ୍ତି ସିଧା ହିତାଧିକାରୀଙ୍କ ଆକାଉଣ୍ଟକୁ ଛାଡ଼ିଲେ, ଅନ୍ୟପଟେ ହିତାଧିକାରୀଙ୍କ ମୁହଁରେ ହସ ଫୁଟିଲା । କିଏ ମୋଦିଙ୍କ ସଭାକୁ ଆସି ଟଙ୍କା ପାଇଛି ତ କିଏ ନିଜ ଘରେ ଥାଇ । ସୋରରୁ ଭୁବନେଶ୍ୱର, ଟିଟିଲାଗଡ଼ରୁ ଜୟପୁର। ସବୁଠି ଆକାଉଣ୍ଟକୁ ପ୍ରଥମ କିସ୍ତି ଆସିଥିବା ଜାଣି ହିତାଧିକାରୀ ବି ଖୁସ୍ । ନାଚଗୀତରେ ବି ମାତିଗଲେଣି। କିଏ ଆଗରୁ ୧ ଟଙ୍କା ପାଇଥିଲା, ତେଣୁ ତା ଆକାଉଣ୍ଟକୁ ଆଜି ୪୯୯୯ ଟଙ୍କା ପହଞ୍ଚିଛି । ତ ପୁଣି କାହା ଖାତାକୁ ଆସିଛି ପୁରା ୫ ହଜାର ଟଙ୍କା।

ପ୍ରଧାନମନ୍ତ୍ରୀ ଗତକାଲି ୨୫ ଲକ୍ଷ ୧୧ଜଣ ହିତାଧିକାରୀଙ୍କୁ ସୁଭଦ୍ରା ପ୍ରଥମ କିସ୍ତି ବାଣ୍ଟିଛନ୍ତି । ଯେଉଁଥିରେ ଖର୍ଚ୍ଚ ହୋଇଛି ୧୨୫୦ କୋଟି ୫୫ ହଜାର ଟଙ୍କା। ଏ ଯୋଜନାର ଲାଭ ଓଡ଼ିଶାର ୧ କୋଟିରୁ ଅଧିକ ମହିଳାଙ୍କୁ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ନିର୍ବାଚନ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ, ତାହା ପାଳନ କରୁଛୁ । ସେହିପରି ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ଏ ପର୍ଯ୍ୟନ୍ତ ୭୪ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ପଞ୍ଜୀକରଣ କରିଛନ୍ତି।

 

Spread the love