କଟକ: କଟକ ଜିଲ୍ଲା ଅଧିନସ୍ଥ କଟକ ସଦର ନିର୍ବାଚନ ମଣ୍ଡଳୀର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଳମିଶ୍ରୀ ପଞ୍ଚାୟତର କଳମିଶ୍ରୀ ଗାଁ ମା’ କମାଳାଇ ମନ୍ଦିର ସମ୍ମୁଖ ରାସ୍ତା ଏବେ ନର୍ଦମା ପାଲଟିଛି ।ଆଖ ପାଖ ସାହିର ବ୍ୟବହୃତ ପାଣି,ଗାଈ ଗୋରୁଙ୍କ ମୁତ ଆଦି ଏଠାରେ ଆସି ଜମା ହୋଇ ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଏହି ସ୍ଥାନ ଚାରିପଟରେ ଅଙ୍ଗନବାଡି କେନ୍ଦ୍ର, ପ୍ରାଥମିକ ବିଦ୍ୟାଳୟ, ମନ୍ଦିର ଓ ପଞ୍ଚାୟତର ମାର୍କେଟ କମ୍ପ୍ଲେକ୍ସ ଗୃହ ରହିଛି । ଫଳରେ ଏହି ରାସ୍ତାରେ
ଅଙ୍ଗନବାଡି ଓ ସ୍କୁଲ ପିଲାଙ୍କ ସହ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକେ ଚଳ ପ୍ରଚଳ ହେଉଛନ୍ତି । ସମସ୍ତଙ୍କୁ ଏହି ଅସ୍ୱାସ୍ଥ୍ୟକର ପାଣିରେ ପଶି ଯାତାୟାତ କରିବାକୁ ପଡୁଛି । ଏହି ପଚାସଢା ପାଣିରେ ପଶିଲେ ଗୋଡ଼ କୁଣ୍ଡାଇ ହେବା ସହ ଦେହହାତ ଫଳି ଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହାର ଚିକିତ୍ସା ପାଇଁ ଲୋକଙ୍କୁ
ଖର୍ଚ୍ଚ।ନ୍ତ ହେବାକୁ ପଡୁଛି । ଅନ୍ୟପଟେ ଏଠାରେ ଜମି ରହୁଥିବା ସଢାପଚା ପାଣି ଲକ୍ଷ ଲକ୍ଷ ମଶାଙ୍କ ଏନ୍ତୁଡ଼ିଶାଳ ପାଲଟିଛି। ଫଳରେ ଡେଙ୍ଗୁ ମେଲେରିଆ ପରି ପ୍ରାଣାନ୍ତକ ରୋଗ ହେବାର ଆଶଙ୍କା ପ୍ରକାଶ ପାଇଛି। ପ୍ରତିବର୍ଷ ବର୍ଷାଦିନରେ ଏହି ପରିସ୍ଥିତି ସୃଷ୍ଟି ହେଉଛି । ସ୍ଥାନୀୟ ଲୋକେ ୫ବର୍ଷ ଧରି ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓ ପର୍ଯ୍ୟନ୍ତ ବାରମ୍ବାର ଗୁହାରୀ କରିଛନ୍ତି । ହେଲେ କିଛି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି।ଏପରି ପରିସ୍ଥିତି ରେ ବର୍ଷାଦିନେ ଭୟରେ କେତେକ ଲୋକ ଛୋଟ ପିଲାଙ୍କୁ ବନ୍ଧୁ ବାନ୍ଧବ ଘରେ ଛାଡିବାକୁ ବାଧ୍ୟ ହେଉଛନ୍ତି । ଏହି ସମସ୍ୟା ର ସ୍ଥାୟୀ ସମାଧାନ କରାଯିବାକୁ ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିବା ସହ ଦାବି ପୁରଣ ନ ହେଲେ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି।
81