138

ଜରି ପାଲ ତଳେ ଚାଲିଛି ଶିକ୍ଷା ଦାନ!

ନବରଙ୍ଗପୁର: ବିଦ୍ୟାଳୟ, ଯେଉଁଠି ନିର୍ମାଣ ହୁଏ ଦେଶର ଭବିଷ୍ୟତ, ଏଠି ଗଢ଼ା ହୁଏ ମଣିଷ ତେଣୁ ଏହାକୁ ବିଦ୍ୟାମନ୍ଦିର ବୋଲି ମଧ୍ୟ କହିଥାଉ ତେଣୁ ଏଠି ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀ ଙ୍କ ସୁବ୍ୟବସ୍ଥା ପାଇଁ ସରକାର ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ | କିନ୍ତୁ ଆଜି ଏଭଳି ଵି ଅନେକ ବିଦ୍ୟାଳୟ ରହିଛି ଯେଉଁଠି ଶ୍ରେଣୀ ଗୃହ ଠାରୁ ଶିକ୍ଷକ ପର୍ଯ୍ୟନ୍ତ ନିଅଣ୍ଟ ହୋଇ ରହିଯାଇଛି | କେବଳ ନାମକୁ ମାତ୍ର ବିଦ୍ୟାଳୟ ହେଲେ ବ୍ୟବସ୍ଥା କଥା କହିଲେ ନସରେ |

ଏମିତି ଏକ ବିଦ୍ୟାଳୟ ଟି ହେଉଛି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଭିକ୍ଷା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚି଼ଙ୍ଗିଡ଼ିଗୁଡା ଗ୍ରାମରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ | ଯାହାର ସ୍ଥିତି ବର୍ତମାନ ସମ୍ପୂର୍ଣ ବେହାଲ ହୋଇପଡିଛି, ପ୍ରଶାସନର ଅବହେଳା ତଥା ତତ୍କାଳୀନ ସରକାରଙ୍କ ଅପାରଗତା ପାଇଁ ଏବେ ଶ୍ରେଣୀ ଗୃହରେ ଜରିପାଲ ଟଣା ଯାଇ ବର୍ଷା ରୁ ନିସ୍ତାର ପାଇବା ଲାଗି ଉଦ୍ୟମ କରାଯାଇଛି। ୧୯୭୨ ମସିହାରେ ନିର୍ମାଣ ହୋଇଥିବା ଏକ ଆଜବେଷ୍ଟ ଘରେ ଚାଲିଛି ପାଠପଢା, ଆଜବେଷ୍ଟ ଗୁଡିକ ଫାଟିଫୁଟି ଯାଇଥିବାରୁ ବର୍ଷା ହେଲେ ଶ୍ରେଣୀଗୃହ ଗୁଡିକ ପାଣି ଗଳି ଓଦା ହୋଇଯାଉଥିବା ହେତୁ ପିଲାଙ୍କ ପାଠ ପଢା ହୋଇପାରୁନାହିଁ। ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ମୋଟ ୨୦୬ ପିଲା ଏଠାରେ ଅଧ୍ୟୟନ କରନ୍ତି ଏବଂ ଏମାନଙ୍କୁ ପଢ଼ାନ୍ତି ମାତ୍ର ଚାରିଜଣ ଶିକ୍ଷକ । ବିଦ୍ୟାଳୟ ପରିସରରେ ମାଳ ମାଳ ଫଳକ ରହିଛି ହେଲେ ସବୁ କାମ ଅଧା ଅଧୁରା ହୋଇ ପଡି ରହିଛି, ଦୁଇଟି ନୂତନ ଶ୍ରେଣୀଗୃହ ଏବଂ ଆର ଦୁଇଟି ନିର୍ମାଣ ହୋଇ 45 ବର୍ଷ ରୁ ଉର୍ଦ୍ଧ ହେଲାଣି, ବର୍ଷା ହେଲେ ନୂଆଁ ପୁରୁଣା ସବୁ ଶ୍ରେଣୀ ଗୃହ ପାଣିରେ ଉବୁଟୁବୁ ହୋଇପଡୁଥିବାରୁ ଏବେ ଜରିପାଲ ଟାଣି ବର୍ଷାରୁ ବର୍ତ୍ତିବା ପାଇଁ ପ୍ରୟାସ କରାଯାଇଥିବା ଦେଖିବାକୁ ମିଳିଛି |

ବିଗତ ଦିନରେ ପୂର୍ବତନ ବିଜେଡି ସାଂସଦ ରମେଶ ଚନ୍ଦ୍ର ମାଝିଙ୍କ ଗସ୍ତ କାଳରେ ବିଦ୍ୟାଳୟ ର ସୁଧାର ଲାଗି ମିଳିଥିଲା ଅନେକ ପ୍ରତିଶୃତି କିନ୍ତୁ ସବୁ ପ୍ରତିଶୃତି ପାଣିର ଗାର ପାଲଟି ଗଲା | ବର୍ତ୍ତମାନ ନୂଆଁ ସରକାରଙ୍କୁ ନେଇ ଆଶା ବାନ୍ଧିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ଏବଂ ବିଦ୍ୟାଳୟ କର୍ତୃପକ୍ଷ। ଶ୍ରେଣୀ ଗୃହ ଏବଂ ଶିକ୍ଷକ ଙ୍କ ଅଭାବ ପୁରଣ ହୋଇପାରିଲେ ପିଲାଙ୍କ ଉଜ୍ଜଳ ଭବିଷ୍ୟତ ନିର୍ମାଣରେ ସହାୟକ ହୋଇପାରିବ | ତେବେ ଦେଖିବାକୁ ବାକି ରହିଲା ନୂଆ ସରକାରଙ୍କ ଦୃଷ୍ଟି ଚି଼ଙ୍ଗିଡ଼ିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ଉପରେ ପଡୁଛି ?

Spread the love