116

ବିଶ୍ୱ ରେକର୍ଡ ସୃଷ୍ଟି କରିବାରୁ ଅଳ୍ପକେ ବର୍ତିଲେ ଶୀତଲ

ଭୁବନେଶ୍ୱର: ଭାରତୀୟ ତୀରନ୍ଦାଜ ଶୀତଲ ଦେବୀ ଗୁରୁବାର ପ୍ୟାରିସ୍ ପାରାଲିମ୍ପିକ୍ସ ମଇଦାନକୁ ଓହ୍ଲାଇଥିଲେ । ସେ ତାଙ୍କର ପ୍ରଥମ ପାରାଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରିଥିଲେ । ହେଲେ ବିଶ୍ୱ ରେକର୍ଡ ସୃଷ୍ଟି କରିବାରୁ ଅଳ୍ପକେ ବଞ୍ଚିତ ହେଲେ । ଶୀତଲ୍’ଙ୍କ ବୟସ ମାତ୍ର ୧୭ ବର୍ଷ । ମହିଳାଙ୍କ ବ୍ୟକ୍ତିଗତ କମ୍ପାଉଣ୍ଡ ପ୍ରତିଯୋଗିତାରେ ଭାରତର ଆର୍ମଲେସ୍ ପାରାଆଥଲେଟ୍ ଶୀତଲ୍ ଦେବୀ ଯେଉଁଭଳି ପ୍ରଦର୍ଶନ କଲେ, ତାକୁ ସମସ୍ତେ ବାହାବାହା କହିଲେ । ସେ ଜନ୍ମଜାତ ରୋଗ ଫୋକୋମେଲିଆରେ ପୀଡ଼ିତ । ତାଙ୍କର ହାତ ନଥାଇ ମଧ୍ୟ ସେ ଗତ କିଛି ବର୍ଷ ଧରି ଚମତ୍କାର ପ୍ରଦର୍ଶନ କରିଆସିଛନ୍ତି ।

ରାଙ୍କିଙ୍ଗ୍ ରାଉଣ୍ଡରେ ଅଂଶଗ୍ରହଣ କରିଥିବାବେଳେ ଶୀତଲ୍ ପାରା ଗେମ୍ସ ଏବଂ ବିଶ୍ୱ ରେକର୍ଡ ଭାଙ୍ଗି ୭୦୩ ପଏଣ୍ଟ ହାସଲ କରିଥିଲେ । କିନ୍ତୁ କ୍ୱାଲିଫିକେସନ୍ ରାଉଣ୍ଡର ଶେଷ ସଟ୍ରେ ପ୍ରତିପକ୍ଷ ଖେଳାଳି ତାଙ୍କୁ ପଛରେ ପକାଇ ଦେଇଥିଲେ। ତୁର୍କୀର ଓଜନୁର ଗିର୍ଡି କ୍ୟୁରେ ୭୦୪ ପଏଣ୍ଟ ସହ ରାଙ୍କିଙ୍ଗ ରାଉଣ୍ଡରେ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ଶୀତଲ ଦେବୀଙ୍କ ସ୍କୋର ଚଳିତ ମାସ ଆରମ୍ଭରେ ଗ୍ରେଟ ବ୍ରିଟେନର ଫୋବି ପାଏନ୍ ପିଟରସନଙ୍କ ୬୯୮ ପଏଣ୍ଟର ବିଶ୍ୱ ରେକର୍ଡ ଭାଙ୍ଗିଥିଲା ।

ଏହି ଦୁଇ ଖେଳାଳି ଜେସିକା ଷ୍ଟ୍ରାଟନ୍ ଏବଂ ଫୋବି ପାଟରସନଙ୍କ ପୂର୍ବ ରେକର୍ଡ ଭାଙ୍ଗି ରାଉଣ୍ଡ ୩୨ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ପୂର୍ବ ରେକର୍ଡଧାରୀ ପିଟରସନ ୬୮୮ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛନ୍ତି । ଏହି ସଂସ୍କରଣରେ ଏହା ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ଥିଲା ।

Spread the love