35

ପୌର ପରିଷଦ ସୁଣିଲାନି,ଅଳିଆ ଆବର୍ଜନା ସଫା କଲେ ଡଙ୍ଗରି ସାହିର ଯୁବ ଗୋଷ୍ଠୀ!

ଉମରକୋଟ:ପେଣ୍ଡ୍ରାଣୀ ମନ୍ଦିର ପରିସରରେ ଥିବା ଅଳିଆ ଆବର୍ଜନା ସଫା କଲେ ଡଙ୍ଗରି ସାହିର ଯୁବ ଗୋଷ୍ଠୀ। ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ର ଅଧିଷ୍ଠାତ୍ରୀ ଦେବି ହେଉଛନ୍ତି ମାଁ ପେଣ୍ଡ୍ରାଣୀ , ମାଙ୍କ ମହିମା ଉପରେ ଲୋକଙ୍କ ଅଗାଢ଼ ବିଶ୍ୱାସ ରହିଛି। ମାଙ୍କ ପାଖରେ ମନସ୍କାମନା କରିଥିବା ଲୋକେ ବିଭିନ୍ନ ସ୍ଥାନରୁ ଏଠାକୁ ଆସିଥାନ୍ତି ଓ ମାଙ୍କ ଦର୍ଶନ କରି ଏହିଠାରେ ଭୋଜି ଭାତ ତଥା ଲୋକେ ମୁଣ୍ଡନ କରି ଅଳିଆ ଆବର୍ଜନା ଛାଡି ଚାଲି ଯାଇଥାନ୍ତି।ତେବେ କିଛି ଦିନ ହେଲା ମନ୍ଦିର ପରିସର ଟି ଅଳିଆ ଆବର୍ଜନା ରେ ଭର୍ତ୍ତି ହୋଇ ପଡିଥିଲା। ଉମରକୋଟ ପୌର ପରିଷଦ କୁ ସ୍ଥାନୀୟ ଲୋକେ ସଫା କରିବା ପାଇଁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ପୌର ସଂସ୍ଥା କର୍ଣ୍ଣ ପାତ କଲେ ନାହିଁ ବୋଲି ଅଭିଯୋଗ କରିଛନ୍ତି ଡଙ୍ଗରି ସାହିର ଯୁବ ଗୋଷ୍ଠୀ। ଆଜି ଭାରତ ବନ୍ଦ ଥିବା ଯୋଗୁଁ ଡଙ୍ଗରି ସାହିର ସମସ୍ତ ଯୁବ ଗୋଷ୍ଠୀ ମାନଙ୍କ କାର୍ଯ୍ୟ ବନ୍ଦ ଥିଲା ଓ ଯୁବକ ମାନେ ଘରେ ଥିଲେ। ଏହାର ସୁଯୋଗ ନେଇ ଆଜି ଉମରକୋଟ ପୌର ପରିଷଦ ୮ ନମ୍ବର ୱାର୍ଡ ଡଙ୍ଗରିସାହି ର ଯୁବକ ମାନେ ସ୍ଥିର କଲେ ମନ୍ଦିର ର ଅଳିଆ ଆବର୍ଜନା ସଫା କରିବା ପାଇଁ। ଶେଷ ରେ ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ଯୁବକ କୋଡିକି , ଗମେଲା, ଝାଡୁ ଧରି ମନ୍ଦିର ପରିସରରେ ଥିବା ସମସ୍ତ ଅଳିଆ, ଆବର୍ଜନା କୁ ସଫା କରିଦେଲେ।

ଯୁବକ ମାନଙ୍କ ଏହି ମହାନ କାର୍ଯ୍ୟ ଦେଖି ସାଧାରଣ ରେ ପ୍ରଶଂସା କରାଯାଇଛି। ଅନ୍ୟପଟେ ପ୍ରଶ୍ନ ଉଠୁଛି ଉମରକୋଟ ସହର ର ସଫେଇ କାର୍ଯ୍ୟ ପାଇଁ ଗୋଟିଏ ଠିକା ସଂସ୍ଥା ପ୍ରତିମାସରେ ଲକ୍ଷାଧିକ ଟଙ୍କା ନେଉଥିବା ବେଳେ ସହର ର ସଫେଇ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି। ତୁରନ୍ତ ପୌର ପରିଷଦ ଓ ଜିଲ୍ଲାପାଳ ଏଥି ନିମନ୍ତେ ଦୃଷ୍ଟି ଦେବା ପାଇଁ ସହର ବାସୀ ଦାବୀ କରିଛନ୍ତି। ଆଜିର ଏହି ସଫେଇ କାର୍ଯ୍ୟକ୍ରମ ରେ ମୁନା ରାଉତ, ସୁରୁ ଖମାରୀ, ରମେଶ ହରିଜନ, ସୁଦର ହରିଜନ, କର୍ଣ୍ଣ ହରିଜନ, ଶଙ୍କର ମଣ୍ଡଳ, ଯୁଧିଷ୍ଟିର ଦାସ, ଅଙ୍ଗତ ମାଏରା, ଅଭି ମୋହରା, ରାଜ ମୋହନ ହରିଜନ, କାଳୁ ଜାନୀ, କର୍ଣ୍ଣ ଦାସ ଓ କୋମଳ ହରିଜନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Spread the love