26

ଗୋ ଚାଲାଣ କୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ!

ଖୋର୍ଦ୍ଧା: ଗୋ ଚାଲାଣକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବାରୁ ଶୁକ୍ରବାର ରାତିରେ ଜଙ୍କିଆ ଥାନା ଅଧୀନ ଛଣଗିରି ଗ୍ରାମ ରଣକ୍ଷେତ୍ର ପାଲଟିଥିଲା। ଏଥିରେ ଉଭୟ ପକ୍ଷରୁ ୩ ଜଣ ଆହତ ହୋଇଥିବା ବେଳେ ଗୋ ଚାଲାଣକୁ ବିରୋଧ କରୁଥିବା ଗୋଷ୍ଠୀର ୨୦ ଜଣଙ୍କ ବାଇକ୍‌କୁ ଅପର ଗୋଷ୍ଠୀ ଭଙ୍ଗାରୁଜା କରିଥିବା ବେଳେ ଅପର ଗୋଷ୍ଠୀର ୧୦ଟି ଦୋକାନ ଘରକୁ ବିରୋଧୀ ଗୋଷ୍ଠୀ ପୋଡ଼ି ଦେଇଛନ୍ତି। ଭଙ୍ଗାରୁଜା ଓ ଜଳାପୋଡ଼ା ଯୋଗୁଁ ଉତ୍ତେଜନାମୟ ପରିସ୍ଥିତି ସୃଷ୍ଟି ହୋଇଛି। ଗୋ ମାଫିଆଙ୍କୁ ଗିରଫ ଓ ବଟି ନେଇ ଏମାନଙ୍କୁ ସମର୍ଥନ କରୁଥିବା ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଗୋ ଚାଲାଣ ବିରୋଧୀ ଗୋଷ୍ଠୀର ଉଭ୍ୟକ୍ତ ଲୋକେ ୧୬ନଂ ଜାତୀୟ ରାଜପଥ ଉପରେ ଟାୟାର ଜାଳି ସନ୍ଧ୍ୟା ୭ଟାଠାରୁ ବିକ୍ଷୋଭ କରିଥିଲେ। ବିଧାୟକ ପ୍ରଶାନ୍ତ ଜଗଦେବ ଘଟଣାସ୍ଥଳରେ ପହଞ୍ଚି ଗୋ ଚାଲାଣକାରୀ ଏବଂ ସେମାନଙ୍କୁ ସମର୍ଥ କରୁଥିବା ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରତିଶ୍ରୁତି ଦେବା ପରେ ରାତି ୧୧ଟାରେ ରାସ୍ତାରୋକ ହଟିଥିଲା। ତଥାପି ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ରାତିରେ ଅତିରିକ୍ତ ଡିଜି ( ଆଇନ ଶୃଙ୍ଖଳା) ସଞ୍ଜୟ କୁମାର ଜଙ୍କିଆ ଥାନାରେ ପହଞ୍ଚି ଘଟଣା ଉପରେ ନଜର ରଖିଛନ୍ତି।

ଗାଁରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବାରୁ ପୁଲିସ ଫ୍ଲାଗମାର୍ଚ କରିଛି। ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ ରେ ଓଗାଳପୁର ଅଞ୍ଚଳରୁ ବେଆଇନ ଭାବେ ଏକ ଗାଡ଼ିରେ ଗୋ ଚାଲାଣ ହୋଇଥିଲା। ଏହା ଜାଣିବା ପରେ ସ୍ଥାନୀୟ ଅଞ୍ଚଳ ଦୁଇ ଜଣ ଯୁବକ ପିଛା କରିଥିଲେ । ଏପରିକି ଗୋ ଚାଲାଣ ଗାଡ଼ି କୁ ଜବତ କରିବାକୁ ଥାନା ଅଧିକାରୀଙ୍କଠାରୁ ଉପରିସ୍ଥ ଅଧିକାରୀଙ୍କୁ ଫୋନ କରି ଜଣାଇଥିଲେ । ମାତ୍ର ସେମାନେ ପିଛା କରିବା ଜାଣି ଗୋରୁ ମାଫିଆ ଛଣିଗିରି ଜଙ୍ଗଲରେ ଗାଡ଼ି ଛାଡ଼ି ଚମ୍ପଟ ମାରିଥିଲା । ଏହା ପରେ ପିଛା କରୁ ଥିବା ଯୁବକମାନେ ଗୋରୁ ମାଫିଆଙ୍କ ଖୋଜିବାକୁ ଉଦ୍ୟମ କରୁଥିଲେ । ଉକ୍ତ ସମୟରେ ଛଣଗିରି ଗ୍ରାମର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ସଦସ୍ୟ ମାନେ ସେମାନଙ୍କୁ ଆକ୍ରମଣ କରିବା ସହ ଜଣଙ୍କୁ ଅପହରଣ କରି ଗ୍ରାମ ମଧ୍ୟକୁ ନେଇଯାଇଥିଲେ । ଏଘଟଣା ଜାଣିବା ପରେ ସ୍ଥାନୀୟ ଅଞ୍ଚଳରେ କେତେକ ଯୁବକ ଥାନା ଅଧିକାରୀଙ୍କ ଠାରୁ ପୁଲିସ ଉଚ୍ଚ ଅଧିକାରୀ ଫୋନରେ ସେମାନଙ୍କୁ ଉଦ୍ଧାର କରିବାକୁ କହିଥିଲେ ।

କିନ୍ତୁ ପୁଲିସ ଘଟଣାକୁ କର୍ଣ୍ଣପାତ ନ କରିବାରୁ ଯୁବକମାନେ ଅପହରଣ ହୋଇଥିବା ଯୁବକଙ୍କ ଉଦ୍ଧାର କରିବାକୁ ବାଇକରେ ଛଣିଗିରି ଗ୍ରାମକୁ ଯାଇଥିଲେ। ସେଠରେ ଅପରଗୋଷ୍ଠୀର ମହିଳା ଓ ପୁରୁଷମାନେ ସଂଘବଦ୍ଧ ହୋଇ ସେମାନଙ୍କର ପ୍ରାୟ ୨୦ଟି ବାଇକ ଭଙ୍ଗାରୁଜା କରିଥିଲେ । ଏହା ଜାଣିବା ପରେ ବାଲିଗାଡ଼ିଆ ଏବଂ ନିରାକାରପୁର ର କେତେକ ଯୁବକ ଛଣଗିରି ଗ୍ରାମକୁ ଯାଇଥିଲେ। ସେଠାରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ଲାଗିଥିଲା । ଛଣଗିରି ଛକ ରଣକ୍ଷେତ୍ର ପାଲଟିଥିଲା । ଛଣଗିରି ଗ୍ରାମର ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କର ୧୦ଟି ଦୋକାନକୁ ସେମାନେ ଜାଳି ଦେଇଥିଲେ। ଖବର ପାଇ ଖୋର୍ଦ୍ଧା ବିଧାୟକ ଙ୍କ ସହିତ ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ , ଅତିରିକ୍ତ ଏସ୍‌ପି ଶ୍ରୀନିବାସ ମହାନ୍ତି , ବାଲୁଗାଁ ଓ ଖୋର୍ଦ୍ଧା ଏସ୍‌ଡ଼ିପିଓ , ଜଙ୍କିଆ ଥାନା ଅଧିକାରୀ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ।

Spread the love