52

ନାହିଁ ନାହିଁର ମହାନଗର ୱାର୍ଡ ଭୋଇପାଲି! ନାଁ କୁ ମହାନଗର, କିନ୍ତୁ ଗାଁ ଠାରୁ ବି ହୀନ!

ସମ୍ବଲପୁର: ନାଁ କୁ ମହାନଗର। କିନ୍ତୁ ଗାଁ ଠାରୁ ବି ହୀନ । ରାସ୍ତା,ପାନୀୟ ଜଳ,ସୌଚାଳୟ ଭଳି ମୌଳିକ ସୁବିଧା ଛୁଇଁ ପାରିନି ସମ୍ବଲପୁର ମହାନଗର ନିଗମର ୪୦ ନମ୍ବର ୱାଡର ଭୋଇପାଲି ଗାଁକୁ।

ଦୁଇଟି ନଳ କୂପ ଲୋକଙ୍କ ସାହା ଭରସା ହୋଇଥିବା ବେଳେ ଏହି ୱାର୍ଡରେ ବନ୍ଧ କଁଟା ଟିଏ ମଧ୍ୟ ନାହିଁ । ଗାଁକୁ ପ୍ରବେଶ କରୁଥିବା ଗୋଟିଏ ପାର୍ଶ୍ୱ ରାସ୍ତାରୁ ସିମେଣ୍ଟ ଉଠିଯାଇଥିବା ବେଳେ ଅନ୍ୟ ପାର୍ଶ୍ୱ ରାସ୍ତା ଆଣ୍ଠୁଏ କାଦୁଅରେ ଭର୍ତ୍ତି।ଏହି ରାସ୍ତା ସ୍କୁଲ ଶିକ୍ଷାର୍ଥୀଙ୍କ ଠାରୁ ସମସ୍ତଙ୍କ ଭରସା ହୋଇଥିବା ବେଳେ ମହାନଗର ନିଗମର ଦୃଷ୍ଟି ପଡୁନି ୪୦ ନମ୍ବର ୱାର୍ଡ ଭୋଇପାଲି ଉପରେ।

ମାନେଶ୍ୱର ପଞ୍ଚାୟତ ଅଧିନରେ ଥିବା ଏହି ଗାଁ ୧୨ ବର୍ଷ ତଳେ ମହାନଗର ନିଗମରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଏହି ଗାଁ ଦୁଃଖ ବଳି ପଡିଛି ଏବେ।ସମସ୍ତ ସେବା ରୁ ବଞ୍ଚିତ ହରିଜନପଡା,ବେଲପଡା, ମିର୍ଧାପଡା,ଗଣ୍ଡପଡା,ଡୁମ୍ବରୀପଡା,ନୂଆଁପଡା,ମୁଣ୍ଡାପଡା,ଲିମ୍ ଟିକିରା ବାସୀଙ୍କ ଦିନକୁ ଦିନ ବଢ଼ୁଛି ଦୁର୍ଦ୍ଦଶା । ଗାଁ ଅଗଣାରେ ନାହିଁ କୌଣସି ସୁବିଧା।କ୍ଲବ ଘର ଟିଏ ନାହିଁ । ମୁଠାଏ ଚାଉଳ ହେଉକି ଭତ୍ତା ଭିନ୍ନକ୍ଷମଙ୍କ ଠାରୁ ବୃଦ୍ଧ ବୃଦ୍ଧା ସମସ୍ତଙ୍କୁ ଧାଇଁବାକୁ ପଡିଥାଏ ୮ କିଲୋମିଟର ଦୂର ମାନେଶ୍ୱରକୁ।ହାତ ପାହାନ୍ତାରେ ନାହିଁ କୌଣସି ସୁବିଧା।ମାସକୁ ଥରେ ଭ୍ରାମ୍ଯମାଣ ସ୍ୱାସ୍ଥ୍ୟ ସେବା ସେମାନଙ୍କ ସାହାରା।

ଏପରିକି ହୀରାକୁଦ ଡ୍ୟାମ ନିର୍ମାଣ ସମୟରେ ବାସଚ୍ୟୁତ ହୋଇ ଭୋଇପାଲିରେ ବସତି କରିଥିବା ଅନେକ ବାସଚ୍ୟୁତଙ୍କୁ ସ୍ଥାୟୀ ପଟ୍ଟା ମିଳି ନଥିବାରୁ ବହୁ ସୁବିଧାରୁ ବଞ୍ଚିତ ହେଉଛନ୍ତି ଗାଁ ଲୋକ।

Spread the love