73

ଆକ୍ସନ ମୋଡରେ ଧର୍ମଶାଳା ବିଧାୟକ, ସାବାଡ ହେବେ ଖଣି ମାଫିଆ

ଭୁବନେଶ୍ୱର: ବିଜେଡି ପରାଜୟ ପରେ ଖୋଲୁଛି ଯାଜପୁର ଜିଲ୍ଲାରେ ଦୁର୍ନୀତି ପେଡ଼ି। ଯାଜପୁର ଜିଲ୍ଲା ଖଣି ମାଫିଆଙ୍କୁ ସାବାଡ କରିବାକୁ ଧର୍ମଶାଳା ବିଧାୟକ ନେଲେ ବଡ ପଦକ୍ଷେପ। ଖଣି ମାଫିଆଙ୍କ ସହ ଲାଞ୍ଚୁଆ ଅଫିସରଙ୍କୁ ଧରିବାକୁ ତନାଘନା କଲେଣି ବିଜେପି ବିଧାୟକ। ଧର୍ମଶାଳା ଓ ଯାଜପୁରରେ ଚାଲିଥିବା ବେଆଇନ ଖଣି ଓ କ୍ରସର ବ୍ୟବସାୟର ତଦନ୍ତ ପାଇଁ ଦାବି କରିଛନ୍ତି ଧର୍ମଶାଳା ବିଜେପି ବିଧାୟକ ହିମାଂଶୁ ଶେଖର ସାହୁ । ଧର୍ମଶାଳାର ବିଛାଖଣ୍ଡି, ରାହାଡ଼ପୁର, ଅଞ୍ଜିରା, ବାଜବତୀ, ଚଢ଼େଇଧରା, ମଳାଗଡ଼ା, କୁସୁମପୁର ସମେତ ଅନ୍ୟାନ୍ୟ କ୍ରସର ଓ ଖଣିରେ ବେଧଡକ ଭାବେ ହୋଇଥିବା ବେଆଇନ ଖନନ ସମ୍ବନ୍ଧୀୟ ତଦନ୍ତ ଯୁଦ୍ଧକାଳୀନ ଭିତ୍ତିରେ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ହିମାଂଶୁ। ରାଜ୍ୟ ଖଣି ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଏ ସମ୍ବନ୍ଧରେ ଜଣାଇଛନ୍ତି ଧର୍ମଶାଳା ବିଧାୟକ। ଲିକୁଙ୍କ ଚିଠି ଦେଖି ଖଣି ମାଫିଆଙ୍କ ଛାତିରେ ଛନକା ପଶିଛି ବୋଲି କୁହାଯାଉଛି। ଅଫିସରରୁ ଆରମ୍ଭ କରି କୁଜି ନେତାବି ଏହି ଖଣି ଦୁର୍ନୀତିରେ ସାମିଲ ଥିବା କୁହାଯାଉଛି। ଶ୍ରୀ ସାହୁ ତାଙ୍କ ନିର୍ବାଚନମଣ୍ଡଳୀରେ ହେଉଥିବା ବେଆଇନ ଖଣି ଖନନ ଓ କ୍ରସର କାରବାର ଯୋଗୁ ମୁଷ୍ଟିମେୟ ଲୋକ ରାଜକୋଷକୁ ବିପୁଳ ଲୁଟ୍ କରିଥିବା ଅଭିଯୋଗ କରିଛନ୍ତି। ସେ ଖଣି ନିର୍ଦ୍ଦେଶକଙ୍କୁ ୪ ପୃଷ୍ଠାର ଚିଠି ଲେଖିଥିବା ବେଳେ ସେଥିରେ ୧୪ଟି ପ୍ରସଙ୍ଗ ଆଲୋକପାତ କରିଛନ୍ତି। କେବଳ ସେତିକି ନୁହେଁ ବେଆଇନ କ୍ରସର ଓ ଖଣି ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇ କେତେ ଖଣିଜ ସାମଗ୍ରୀ ଲୁଟ୍ ହୋଇଛି ତା’ର ହିସାବ କରାଯିବା ସହ ଲୁଟେରାଙ୍କଠୁ ଜୋରିମାନା ଆଦାୟ ପାଇଁ ଦାବି କରିଛନ୍ତି ଧର୍ମଶାଳା ବିଧାୟକ। ପରିବେଶ ନିୟମ ସହ, ପ୍ରଦୂଷଣ ନିୟନ୍ତ୍ରଣ ନିୟମ ଭଙ୍ଗ କରିଛନ୍ତି ଏହି ମାଫିଆ ସେଥି ପାଇଁ ତାଙ୍କୁ ଜେଲ ଦଣ୍ଡ ହେବା ଦରକାର ବୋଲି ସ୍ଥାନୀୟ ଲୋକ କହିଛନ୍ତି।

ଏହାସହିତ ଖଣି ବିଭାଗର ନାକ ତଳେ ଏସବୁ ବେଆଇନ କାର୍ଯ୍ୟ ବେଧଡ଼କ ଭାବେ ଚାଲିଥିଲା ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ। ପୂର୍ବତନ ବିଧାୟକ ଓ କିଛି ଅସାଧୁ ଅଫିସରଙ୍କ ପାଇଁ କେବଳ ଧର୍ମଶାଳା ନୁହେଁ ଯାଜପୁର ଜିଲ୍ଲାରେ ସକ୍ରିୟ ହୋଇଛନ୍ତି ଖଣି ମାଫିଆ ବୋଲି କୁହାଯାଏ। ସରକାରୀ କଳର ଛତ୍ରଛାୟାରେ ସବୁ ନିୟମ କାନୁନୁକୁ ମୋଡି ମକଚି ମନ ଇଚ୍ଛା ଲୁଟ କରୁଥିଲେ ଖଣି ମାଫିଆ। ଏବେ ବିଜେପି ସରକାରରେ ସାବାଡ ହୋଇଯିବେ ଦଲାଲ ରୁ ମାଫିଆ ବୋଲି କୁହାଯାଉଛି। ବିଧାୟକଙ୍କ ଅନୁରୋଧ କ୍ରମେ ଯଦି ସଠିକ ଭାବରେ ତଦନ୍ତ ହୁଏ ତେବେ ବହୁ ପ୍ରଭାବଶାଳୀ ଲୋକ ଧରାପଡ଼ିବେ ବୋଲି ଚର୍ଚ୍ଚା ହେଉଛି। ତେବେ ଦେଖାଯାଉ ଖଣି ମାଫିଆଙ୍କ ଉପରେ କିଛି କାର୍ଯ୍ୟନୁଷ୍ଠାନ ହେଉଛି ନା ଫାଇଲ ଏ ଅଫିସରୁ ସେ ଅଫିସ୍ ପଡି ପଡି ରହୁଛି।

Spread the love