40

ପୁଣି ଏକ ରଙ୍ଗଶାଳାରେ ଫସିଗଲେ ବବି

ଭୁବନେଶ୍ୱର: ବିଜେଡିକୁ ରାହୁ ହୋଇ ଗ୍ରାସିଲାଣି ବବିଙ୍କ ଦୁର୍ନୀତି। ଯାଜପୁରରୁ ଆସିଲାଣି ସାଙ୍ଘାତିକ ସତ। ସରକାରୀ ବାସଭବନରେ ବିଳାସପୂର୍ଣ୍ଣ ବଙ୍ଗଳା ପରେ ଯାଜପୁର କୁସୁମା ପୋଖରୀ ନେଇ ଆସିଲାଣି ଦୁର୍ନୀତି ଗନ୍ଧ। ପୁଣି ଅଡ଼ୁଆରେ ବିଜେଡି ସଂଗଠନ ସମ୍ପାଦକ ତଥା ପୂର୍ବତନ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ଯାଜପୁର କୁସୁମା ପୋଖରୀରେ ତିଆରି ହୋଇଥିବା ବିଳାସପୂର୍ଣ୍ଣ ବଙ୍ଗଳାକୁ ନେଇ ଉଠିଛି ପ୍ରଶ୍ନ। କୁସୁମା ପୋଖରୀ ଭିତରେ ତିଆରି ହୋଇଥିବା ୨ ଆକର୍ଷଣୀୟ ବଙ୍ଗଳାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହି ବଙ୍ଗଳା ସରକାରୀ ଅର୍ଥରେ ନିର୍ମାଣ ହୋଇଥିବାବେଳେ ତାହା ପ୍ରଭାବଶାଳୀଙ୍କ କବ୍‌ଜାରେ ରହିଛି ବୋଲି କୁହାଯାଉଛି। ଏଥିପାଇଁ କିଏ ଅନୁମତି ଦେଇଛି, କେତେ ଟଙ୍କା ଖର୍ଚ୍ଚ ହୋଇଛି ତାକୁ ନେଇ ବଢିଛି ସନ୍ଦେହ। ଏହି ବିଳାସପୂର୍ଣ୍ଣ ବଙ୍ଗଳାରେ ବବିଙ୍କ ଦୁଇନମ୍ବର୍ କାର୍ଯ୍ୟ ହେଉଥିବା ଚର୍ଚ୍ଚା ହେଉଛି। ୨୦୧୮ ମସିହାରେ ଯାଜପୁର ପୌରପାଳିକା ଦ୍ଵାରା ଯାଜପୁର ଟାଉନ ମଧ୍ୟରେ ନିର୍ମିତ କୁସୁମା ପୋଖରୀ ସୋନ୍ଦର୍ଯ୍ୟକରଣ ସହ ପାର୍କ କରାଯାଇଥିଲା, ଯାହାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିଲେ। କିନ୍ତୁ ଏହାପରେ ପରେ କୁସୁମାପୋଖରୀ ମଧ୍ୟରେ ତିଆରି ହୋଇଥିଲା ଆଲିସାନ ବଙ୍ଗଳା। ତେବେ ଏହି ବଙ୍ଗଳା କିଏ କରିଛି ଆଉ କେତେ ଟଙ୍କା ବିନିଯୋଗରେ ନିର୍ମାଣ ହୋଇଛି? ତାହାର କୌଣସି ଟେର ମିଳି ନାହିଁ। କୁସୁମା ପରିସରକୁ ଯିବା ପାଇଁ ଦେବାକୁ ପଡେ ୩୦ ଟଙ୍କା। କିନ୍ତୁ ବଙ୍ଗଳା ବାଡ ମାରିବାକୁ କାହାକୁ ଅନୁମତି ମିଳୁ ନଥିଲା ବୋଲି ଜଣାପଡିଛି। ତେବେ କାହାର ବ୍ୟବହାରରେ ଲାଗୁଥିଲା ଏହି ବିଳାସପୂର୍ଣ୍ଣ ବଙ୍ଗଳା? ବୋଲି ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏହା ବବିଙ୍କ ଐଆସି ପାଇଁ ତିଆରି ହୋଇଥିବା ଚର୍ଚ୍ଚା ହେଉଛି। ତେବେ ଏହାକୁ ନେଇ ପୌରସଂସ୍ଥା ପକ୍ଷରୁ ବିଭିନ୍ନ ଆଳ ଦେଖାଯାଉଛି। ତେବେ ଏହା ନିର୍ଦ୍ଦିଷ୍ଟ ଲୋକମାନଙ୍କ ମଉଜ ମଜଲିସର ସ୍ଥାନ ପାଲଟିଥିବାରୁ ତାହାକୁ ସାଧାରଣ ଲୋକଙ୍କଠାରୁ ଦୂରେଇ ରଖାଯାଇଥିବା କହୁଛନ୍ତି ସ୍ଥାନୀୟ ଲୋକେ। ଏହାବାଦ ଏଠାରେ ବହୁ ଉଚ୍ଚସ୍ତରର ବିଜେଡି ବୈଠକ ଅନୁଷ୍ଠିତ ହେଉଥିଲା ଏବଂ ରାତିରେ ମଧ୍ୟ ଯାତାୟାତ ଚାଲିଥିଲା ବୋଲି ଚର୍ଚ୍ଚା ଜୋର ଧରିଛି। ଏହି ଦୁଇ ବଙ୍ଗଳା ନିର୍ମାଣ ପାଇଁ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି। ତେବେ କେଉଁ ଅନୁଦାନ ଓ ଉଦ୍ଦେଶ୍ୟରେ ଏହି ବଙ୍ଗଳା ନିର୍ମାଣ ହୋଇଥିଲା ସେନେଇ ଯାଜପୁର ପୌର ପରିଷଦ କର୍ତ୍ତୃପକ୍ଷ କହି ପାରୁନାହାନ୍ତି। ହେଲେ ଏହି ବଙ୍ଗଳା ତିଆରି ପାଇଁ ଖଣି ଓ ବାଲି ମାଫିଆ ଟଙ୍କା ଲଗାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏନେଇ ତଦନ୍ତ ମଧ୍ୟ ଆରମ୍ଭ ହେବ ବୋଲି ଜଣା ପଡିଛି। ତେବେ ଦେଖାଯାଉ ଏଥିରେ ବବିଙ୍କ ହାତ ଅଛି ନା ଆଉ କିଛି ଘଟଣା ଘଟୁଛି |

Spread the love