167

ସହରାଞ୍ଚଳରେ ଜଳବନ୍ଦୀ ରୋକିବାକୁ ରାଜ୍ୟବ୍ୟାପୀ ନୂଆ ଏସ୍‌ଓପି ପ୍ରସ୍ତାବ!

ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟା ରୋକିବା ଏବଂ ପ୍ରାକୃତିକ ଜଳନିଷ୍କାସନ ବ୍ୟବସ୍ଥାର ସୁରକ୍ଷା ପାଇଁ ନୂଆ ପଦକ୍ଷେପ ନେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ପ୍ରାକୃତିକ ଜଳପଥ, ପୋଖରୀ, ଜଳାଶୟ, ଆର୍ଦ୍ରଭୂମି ଓ ବନ୍ୟା ଜଳ ସଂରକ୍ଷଣ ଅଞ୍ଚଳର ସୁରକ୍ଷା, ପୁନରୁଦ୍ଧାର ଏବଂ ନିୟମିତ ଯାଞ୍ଚ ନିମନ୍ତେ ଏକ ରାଜ୍ୟବ୍ୟାପୀ ମାନକ ପରିଚାଳନା ପ୍ରକ୍ରିୟା (ଏସ୍‌ଓପି) ପ୍ରସ୍ତୁତ କରାଯାଉଛି।

ଏନେଇ ମଙ୍ଗଳବାର ଭୁବନେଶ୍ୱରସ୍ଥିତ ଖାରବେଳ ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ସହରାଞ୍ଚଳରେ ଥିବା ଗୁରୁତ୍ୱପୂର୍ଣ୍ଣ ଜଳନିଷ୍କାସନ ପଥ, ପୋଖରୀ, ଆର୍ଦ୍ରଭୂମି ଏବଂ ବର୍ଷାଜଳ ସଂରକ୍ଷଣ ଅଞ୍ଚଳକୁ ଚିହ୍ନଟ କରି ମାନଚିତ୍ର ପ୍ରସ୍ତୁତ କରିବା ଉପରେ ଶ୍ରୀମତୀ ପାଢ଼ୀ ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ଯେଉଁ ଅଞ୍ଚଳରେ ବାରମ୍ବାର ଜଳବନ୍ଦୀ ଓ ବନ୍ୟା ସମସ୍ୟା ଦେଖାଦେଉଛି, ସେହି ସ୍ଥାନଗୁଡ଼ିକୁ ପ୍ରାଥମିକତା ଦେବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରାକୃତିକ ଜଳପଥରେ ଜବରଦଖଲ, ବେଆଇନ ପୋତିବା, ଅବରୋଧ କିମ୍ବା ଜଳପ୍ରବାହର ଦିଗ ପରିବର୍ତ୍ତନ ଭଳି କାର୍ଯ୍ୟ ଯୋଗୁଁ ଜଳନିଷ୍କାସନ ବ୍ୟବସ୍ଥା ପ୍ରଭାବିତ ନହେବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏଥିସହ ସହରାଞ୍ଚଳ ଯୋଜନା ଓ ଭିତ୍ତିଭୂମି ବିକାଶ ସମୟରେ ଜଳନିଷ୍କାସନ ବ୍ୟବସ୍ଥାକୁ ସାମିଲ କରିବା ପାଇଁ ବିଭିନ୍ନ ବିଭାଗ ଓ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ କୁହାଯାଇଛି।

ପ୍ରସ୍ତାବିତ ଏସ୍‌ଓପିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ବିକାଶମୂଳକ କାର୍ଯ୍ୟ ଯୋଗୁଁ ପ୍ରାକୃତିକ ଜଳନିଷ୍କାସନ ବ୍ୟବସ୍ଥା ଓ ବର୍ଷାଜଳ ସଂରକ୍ଷଣ କ୍ଷମତା ହ୍ରାସ ନପାଇବା। ଏଥିପାଇଁ ସମସ୍ତ ସହରାଞ୍ଚଳରେ ଜଳନିଷ୍କାସନ ପଥ ଓ ଜଳାଶୟଗୁଡ଼ିକର ସର୍ଭେ, ଭୌଗୋଳିକ ଅବସ୍ଥିତି ନିର୍ଦ୍ଧାରଣ ଏବଂ ଜିଆଇଏସ୍‌ ମ୍ୟାପିଂ କରାଯିବାର ପ୍ରସ୍ତାବ ରହିଛି। ଏହି ତଥ୍ୟକୁ ସହରାଞ୍ଚଳ ବିକାଶ ଯୋଜନା, ଜମି ବ୍ୟବହାର ଯୋଜନା ଏବଂ ବର୍ଷାଜଳ ନିଷ୍କାସନର ମାଷ୍ଟରପ୍ଲାନ୍‌ରେ ସାମିଲ କରାଯିବ।

ଏହାବ୍ୟତୀତ ଜିଲ୍ଲାସ୍ତରରେ କମିଟି ଏବଂ ସ୍ୱତନ୍ତ୍ର ତଦାରଖ ଦଳ ଗଠନ କରିବାକୁ ପ୍ରସ୍ତାବ ରହିଛି। ସମ୍ପୃକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇପାରେ। ଜଳାଶୟ ଓ ଜଳନିଷ୍କାସନ ପଥର ସୁରକ୍ଷା, ପୁନରୁଦ୍ଧାର ଏବଂ ନିୟମିତ ତଦାରଖ ଏହାର ମୁଖ୍ୟ ଦାୟିତ୍ୱ ରହିବ। ବର୍ଷାଋତୁ ପୂର୍ବରୁ ନିୟମିତ ଯାଞ୍ଚ, ଜବରଦଖଲର ଡିଜିଟାଲ୍‌ ରେକର୍ଡ ରଖିବା ଏବଂ ପୁନରୁଦ୍ଧାର କାର୍ଯ୍ୟର ତଥ୍ୟ ସଂରକ୍ଷଣ ଉପରେ ମଧ୍ୟ ଏହି ପ୍ରସ୍ତାବରେ ଗୁରୁତ୍ୱ ଦିଆଯାଇଛି।

ସୁରକ୍ଷିତ ଜଳନିଷ୍କାସନ ପଥ ଓ ଜଳାଶୟକୁ ପ୍ରଭାବିତ କରୁଥିବା ବିକାଶମୂଳକ ପ୍ରସ୍ତାବଗୁଡ଼ିକୁ ପ୍ରଚଳିତ ଆଇନ ଏବଂ ବୈଷୟିକ ନିୟମ ଅନୁଯାୟୀ ଯାଞ୍ଚ କରାଯିବ। ଏହାଦ୍ୱାରା ପ୍ରାକୃତିକ ଜଳପ୍ରବାହ ବଜାୟ ରଖିବା ସହ ବର୍ଷାଜଳ ସଂରକ୍ଷଣ କ୍ଷମତା ସୁରକ୍ଷିତ ରହିପାରିବ। ଏହି ବ୍ୟବସ୍ଥା ଲାଗୁ ହେଲେ ସହରାଞ୍ଚଳରେ ଜଳବନ୍ଦୀ ଆଶଙ୍କା ହ୍ରାସ କରିବା ସହ ଜନଜୀବନ ଓ ସରକାରୀ ଭିତ୍ତିଭୂମିର ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ମୁକାବିଲାରେ ସହାୟତା ମିଳିବ ବୋଲି ଆଶା କରାଯାଉଛି।

ତେବେ ଏହି ଏସ୍‌ଓପି ବର୍ତ୍ତମାନ ଚିଠା ପ୍ରସ୍ତାବ ଭାବେ ବିଚାରାଧୀନ ରହିଛି। ଏହାକୁ ଅନୁମୋଦନ ଏବଂ କାର୍ଯ୍ୟକାରୀ କରିବାର ପଦ୍ଧତି ସମ୍ପର୍କରେ ରାଜ୍ୟ ସରକାର ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେବେ।

ବୈଠକରେ ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ମୁଖ୍ୟ ଯନ୍ତ୍ରୀ ତଥା ଅତିରିକ୍ତ ସଚିବ ଭାଗ୍ୟଧର ମହାନ୍ତି, ଜଳସମ୍ପଦ ବିଭାଗର ଡ୍ରେନେଜ୍‌ ଇଞ୍ଜିନିୟର-ଇନ୍‌-ଚିଫ୍‌, ଟାଉନ୍‌ ପ୍ଲାନର୍‌ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Spread the love