153

ତିଖିରି ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ, ପଦରେ ରହିବେ ଚମେଲି ଓଝା

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଟିଖିରି ସରପଞ୍ଚ ଚମେଲି ଓଝାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ଓଡ଼ିଶା ହାଇକୋର୍ଟ ବୁଧବାର ଖାରଜ କରିଛନ୍ତି। ଏହା ସହ ଚମେଲିଙ୍କୁ ସରପଞ୍ଚ ପଦରେ ରହିବାକୁ ଅନୁମତି ଦେଇଛନ୍ତି ଅଦାଲତ। ଗତ ଜୁନ୍‌ ମାସରେ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟକୁ ନେଇ ବିବାଦ ପରେ ବିଡିଓ ଓ ପୁଲିସ କର୍ମଚାରୀ ତାଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିବା ଚମେଲି ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ, ବିଡିଓଙ୍କୁ ଗାଳିଗୁଲଜ କରିବା ଏବଂ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିଲା। ପରେ ସେ ଜାମିନରେ ମୁକୁଳିଥିଲେ।

ଚମେଲିଙ୍କ ବିରୋଧରେ ୨୨ ଜଣ ୱାର୍ଡ ସଭ୍ୟଙ୍କ ମଧ୍ୟରୁ ୨୧ ଜଣ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିଥିଲେ। ଜୁଲାଇ ୨୭ରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସେପ୍ଟେମ୍ବର ୧୩ରେ ଭୋଟିଂ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ଚମେଲି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଗଷ୍ଟ ୧୧ରେ ଶୁଣାଣି ଶେଷ କରି ହାଇକୋର୍ଟ କହିଥିଲେ ଯେ, ଅନାସ୍ଥା ପ୍ରସ୍ତାବ ଏବଂ ଏଥିପାଇଁ ଡକାଯାଇଥିବା ବୈଠକ ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ ଓ ନିୟମାବଳୀର ଉଲ୍ଲଂଘନ କରିଛି।

ଚମେଲିଙ୍କ ପକ୍ଷରୁ ଓକିଲ ସୁକାନ୍ତ କୁମାର ଦଳାଇ ଯୁକ୍ତି ଦର୍ଶାଇଥିଲେ ଯେ, ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ନୋଟିସ୍‌, ପ୍ରସ୍ତାବ ଓ ଦାବିପତ୍ର ସରପଞ୍ଚଙ୍କୁ ଦେବା ବାଧ୍ୟତାମୂଳକ। କିନ୍ତୁ ଚମେଲିଙ୍କ ଅନୁପସ୍ଥିତିରେ ତାଙ୍କ ନିରକ୍ଷର ପିତାଙ୍କୁ କାଗଜପତ୍ର ଦିଆଯାଇଥିଲା ଏବଂ ସେଥିରେ ତାଙ୍କ ଟିପଚିହ୍ନ ନିଆଯାଇଥିଲା। ଏଥିସହ କେବଳ ନୋଟିସ୍‌ ଦିଆଯାଇଥିବା ବେଳେ ପ୍ରସ୍ତାବ ଓ ଦାବିପତ୍ରର ନକଲ ଦିଆଯାଇନଥିଲା। ଏନେଇ ଉପଜିଲ୍ଲାପାଳଙ୍କୁ ଦୁଇଥର ଆବେଦନ କରାଯାଇଥିଲେ ମଧ୍ୟ କାଗଜପତ୍ର ମିଳିନଥିଲା। ଏହାସହ ନୋଟିସ୍‌ ଓ ଭୋଟିଂ ମଧ୍ୟରେ ଆଇନ ଅନୁଯାୟୀ ରହିବାକୁ ଥିବା ୧୫ ଦିନର ବ୍ୟବଧାନ ମଧ୍ୟ ପାଳନ କରାଯାଇନଥିବା ଯୁକ୍ତି ରଖାଯାଇଥିଲା। ଜଷ୍ଟିସ୍‌ ସଞ୍ଜୟ କୁମାର ମିଶ୍ରଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଚମେଲି ଓଝାଙ୍କ ସପକ୍ଷରେ ରାୟ ଦେଇଛନ୍ତି।

 

Spread the love