କନ୍ଧମାଳ: କନ୍ଧମାଳ ଜିଲ୍ଲା ପଞ୍ଚାୟତ ଭବନ ସଭାଗୃହରେ ଜିଲ୍ଲାପାଳ ବେଦ ଭୂଷଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଡିଏଲଆରସି ଓ ଡିସିସି ବ୍ୟାଙ୍କିଙ୍ଗ ରିଭ୍ୟୁ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ବିଭିନ୍ନ ବ୍ୟାଙ୍କର କର୍ମଚାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।
ବୈଠକରେ ଡିପିସି ରାମ ତାଣ୍ଡି, ଏଲଡିଏମ୍ ସୁରେନ୍ଦ୍ର କୁମାର, ନାବାର୍ଡର ଡିଡିଏମ୍ ଏସ୍.କେ. ମହାନ୍ତି, ଓରମାସ୍ର ଡେପୁଟି ସିଇଓ ଗୁଣ୍ଡିଚା ବେହେରା, ଡିଆଇସିର ଜିଏମ୍ ବିଷ୍ଣୁପ୍ରିୟାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ବ୍ୟାଙ୍କ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ବୈଠକରେ ଜିଲ୍ଲାପାଳ ବେଦ ଭୂଷଣ ବ୍ୟାଙ୍କ ଅଧିକାରୀମାନଙ୍କୁ ହିତାଧିକାରୀଙ୍କୁ ସରକାରୀ ସହାୟତା ଓ ବ୍ୟାଙ୍କିଙ୍ଗ ସୁବିଧା ତୁରନ୍ତ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ। ବିଶେଷକରି ମୃତ୍ୟୁଜନିତ ଘଟଣାରେ ହିତାଧିକାରୀଙ୍କୁ ଆବଶ୍ୟକ ସହାୟତା ଶୀଘ୍ର ପହଞ୍ଚାଇବା ସହ କୌଣସି ଯୋଗ୍ୟ ହିତାଧିକାରୀ ଯେପରି ସରକାରୀ ସହାୟତାରୁ ବଞ୍ଚିତ ନହୁଅନ୍ତି, ସେଥିପ୍ରତି ଗୁରୁତ୍ୱ ଦେବାକୁ କହିଥିଲେ।
ବ୍ୟାଙ୍କ ମାଧ୍ୟମରେ ଉପଲବ୍ଧ ବିଭିନ୍ନ ସରକାରୀ ଯୋଜନା, ଋଣ ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଆବଶ୍ୟକ ବୋଲି ଜିଲ୍ଲାପାଳ କହିଥିଲେ। ଏଥିସହ ମିଶନ ଶକ୍ତି, ଓଏଲଏମ୍ ଓ ଏସ୍ଏଚ୍ଜି ଗ୍ରୁପ୍ଗୁଡ଼ିକ ନେଉଥିବା ଋଣର ତଦାରଖ କରିବା ସହ ଏମ୍ବିକେ ଓ ସିଆର୍ପିମାନଙ୍କୁ ଆବଶ୍ୟକ ତାଲିମ ପ୍ରଦାନ କରିବାକୁ ସେ ନିର୍ଦେଶ ଦେଇଥିଲେ।
ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ମଧ୍ୟ ବ୍ୟାଙ୍କ ଋଣ ପ୍ରଦାନର ବ୍ୟବସ୍ଥା ରହିଥିବା ଏବଂ ଏଥିରେ ୨୦ ପ୍ରତିଶତ ସବସିଡିର ବ୍ୟବସ୍ଥା ଥିବା ବୈଠକରେ ସୂଚନା ଦିଆଯାଇଥିଲା। ଏଥିସହ ମୁଦ୍ରା ଋଣ ଓ ଗ୍ରୁପ୍ ଋଣ ପ୍ରଦାନକୁ ଅଧିକ ସୁଗମ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ବୈଠକରେ ଉପସ୍ଥିତ ବ୍ୟାଙ୍କ କର୍ମଚାରୀ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ନିଜ ନିଜ ମତ ରଖିବା ସହ ସରକାରୀ ଯୋଜନା ଓ ଲୋକଙ୍କୁ ମିଳୁଥିବା ବିଭିନ୍ନ ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ।
ଶେଷରେ ବ୍ୟାଙ୍କକୁ ଆସୁଥିବା ସମସ୍ତ ଗ୍ରାହକ ଓ ହିତାଧିକାରୀଙ୍କ ସହ ଭଲ ବ୍ୟବହାର କରିବାକୁ ଜିଲ୍ଲାପାଳ ବ୍ୟାଙ୍କ କର୍ମଚାରୀ ଓ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଗ୍ରାହକଙ୍କ ସମସ୍ୟାକୁ ଧୈର୍ଯ୍ୟର ସହ ଶୁଣି ଆବଶ୍ୟକ ସୂଚନା ଓ ସହାୟତା ପ୍ରଦାନ କରିବା ସହ କାହାରି ପ୍ରତି ଖରାପ ବ୍ୟବହାର ନକରିବାକୁ ସେ ନିର୍ଦେଶ ଦେଇଥିଲେ।