କଟକ: ଗାନ୍ଧୀ ଜୟନ୍ତୀ ଅବସରରେ ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀରୁ ବିଜୁ ଜନତା ଦଳ (ବିଜେଡି)ର ମାସବ୍ୟାପୀ ‘ଜନସମ୍ପର୍କ ପଦଯାତ୍ରା’ ଆରମ୍ଭ ହୋଇଛି। ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଏହି ପଦଯାତ୍ରା ଚାଲିବ।
ନୂଆବଜାରସ୍ଥିତ ପୋତାପୋଖରୀ ଗାନ୍ଧୀ ଆଶ୍ରମ ନିକଟରେ ୪୦୦ରୁ ଊର୍ଦ୍ଧ୍ୱ ରୋଗୀ ଓ ଦିବ୍ୟାଙ୍ଗଙ୍କୁ ଫଳ ବଣ୍ଟନ ପରେ ପଦଯାତ୍ରା ଆରମ୍ଭ ହୋଇଥିଲା। ନୂଆବଜାରରୁ ବାହାରିଥିବା ଏହି ପଦଯାତ୍ରା ମହାନଦୀବିହାରସ୍ଥିତ ସେଲିବ୍ରେସନ ମଣ୍ଡପରେ ପହଞ୍ଚିଥିଲା।
ପଦଯାତ୍ରାରେ ଯୋଗଦେଇ ରାଜ୍ୟସଭା ସାଂସଦ ସୁବାଶିଷ ଖୁଣ୍ଟିଆ କହିଥିଲେ ଯେ, ଓଡ଼ିଶାର ଜଙ୍ଗଲ, ଜମି, ପାଣି, ଖଣି ଓ ବେଳାଭୂମିକୁ ନିଲାମ କରିବାକୁ ଦିଆଯିବ ନାହିଁ। ସେ MMDR ସଂଶୋଧନ ଆଇନ-୨୦୨୬କୁ ନେଇ ପ୍ରଶ୍ନ ଉଠାଇବା ସହ ଖଣିଜ ସମ୍ପଦ ଓ ରାଜସ୍ୱ ଅଧିକାର ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ରକ୍ଷା ନେଇ ଚିନ୍ତା ପ୍ରକାଶ କରିଥିଲେ। ଏହି ନୀତି ଯୋଗୁ ରାଜ୍ୟ ପ୍ରତିବର୍ଷ ପ୍ରାୟ ୧୨୦୦ କୋଟି ଟଙ୍କା ହରାଇପାରେ ବୋଲି ସେ ଦାବି କରିଥିଲେ।
ଏହାସହ ଦରଦାମ ବୃଦ୍ଧି, ଚାଷୀ ସମସ୍ୟା, ସାର ଯୋଗାଣ, ଆଇନଶୃଙ୍ଖଳା, ମହିଳା ସୁରକ୍ଷା, ଶିକ୍ଷା ଓ ଖଣିଜ ସମ୍ପଦ ଭଳି ବିଭିନ୍ନ ପ୍ରସଙ୍ଗରେ ସାଂସଦ ଖୁଣ୍ଟିଆ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଏହି ପ୍ରସଙ୍ଗଗୁଡ଼ିକୁ ନେଇ ଦଳ ଲୋକଙ୍କ ପାଖକୁ ଯିବ ବୋଲି କୁହାଯାଇଛି।
ଜିଲ୍ଲା ବିଜେଡି ସଭାପତି ତଥା ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀର ମୁଖ୍ୟ ସଂଯୋଜକ ପ୍ରଫୁଲ୍ଲ ସିଂହଙ୍କ ନେତୃତ୍ୱରେ ଏହି ପଦଯାତ୍ରା ହୋଇଥିଲା। ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା, ମହମ୍ମଦ ସାକିଲ, ଶିଶିର ପରିଜା, ସିଏମ୍ସି ଉପମେୟର ଦମୟନ୍ତୀ ମାଝୀଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଏଥିରେ ସାମିଲ ହୋଇଥିଲେ।
ପଦଯାତ୍ରା ଶେଷରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ଦଳୀୟ ନେତା ଓ କର୍ମୀମାନେ ଜନସାଧାରଣଙ୍କ ନିକଟକୁ ଯାଇ ସେମାନଙ୍କ ସମସ୍ୟା ଶୁଣିବା ଏବଂ ଜନସ୍ୱାର୍ଥ ପ୍ରସଙ୍ଗ ଉଠାଇବା ପାଇଁ ଶପଥ ନେଇଥିଲେ।