କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଆତ୍ମାଘାତି କାର୍ଯ୍ୟକଳାପ ଅଭିଯୋଗରେ ଗିରଫ ହୋଇଥିବା ୟୁଟୁବର ଜ୍ୟୋତି ମାଲହୋତ୍ରାଙ୍କ ପୁରୀ ଆସିବା ଘଟଣାରେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି| ଏଥି ସହିତ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ| ଏଭଳିପରିସ୍ଥିତିରେ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି ରାଜ୍ୟ ସରକାର । ପୁରୀ ଶ୍ରୀମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ୍ ଟେକ୍ନୋଲୋଜି । ଏନେଇ ବିଚାର ଚାଲିଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, “ପୋଲିସ ବିଭାଗ ସହ ଆଲୋଚନା କରିଛି ଆଇନ ବିଭାଗ । ଡ୍ରୋନ୍ ଉଡ଼ିବା ପରେ ଏହାକୁ ଖସାଇ ଦିଆଯାଇ ପାରିବ । ଆବଶ୍ୟକ ପଡ଼ିଲେ ଶ୍ରୀମନ୍ଦିର ପ୍ରଶାସନ ଅର୍ଥ ଦେବ ।”
ସୂଚନା ଅନୁସାରେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଣ ନିଷେଧ ରହିଛି । ଏହାସହ ମନ୍ଦିର ଭିତରେ ଫଟୋ ଉଠାଇବା ମଧ୍ୟ ମନା । କିନ୍ତୁ ଅନେକ ସମୟରେ ସୁରକ୍ଷା ବଳୟ ଭେଦ କରି ଭିତରକୁ ମୋବାଇଲ ବା କ୍ୟାମେରା ନିଆଯାଉଛି । ଶ୍ରୀମନ୍ଦିର ଭିତର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ବ୍ଲଗରମାନେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଉଥିବାରୁ ନଜିର ରହିଛି । ପରବର୍ତ୍ତୀ ସମୟରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବି ହୋଇଛି । ସବୁଠୁ ବଡ଼ କଥା ହେଉଛି, ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିବା ଏକ ସମ୍ବେଦନଶୀଳ ବିଷୟ । ଏହାଦ୍ୱାରା ଅନେକ ଗୁପ୍ତ ତଥ୍ୟ ଲିକ୍ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଯାହାକୁ ନଜରରେ ରଖି ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆଣ୍ଟିଡ୍ରୋନ୍ ଟେକ୍ନୋଲୋଜି ସାହାଯ୍ୟରେ ଡ୍ରୋନ ଉଡାଣକୁ ରୋକାଯାଇପାରିବ ।